Skip to main content
AdministrationIndiaOdishaTrending News

PR Round Table at IIMC, Dhenkanal.

By January 23, 2020No Comments

Loading

PR Round Table at IIMC, Dhenkanal.
ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ
“ସୃଜନଶୀଳତାର ବିକଳ୍ପ ଟେକ୍ନଲୋଜି ହୋଇପାରିବନି”

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି ଜେନେରାଲ୍‍ ମ୍ୟାନେଜର ଆଶୁତୋଷ ରଥ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଭାରତୀୟ ଲୋକସମ୍ପର୍କ ସମାଜ (ପିଆର୍‍ଏସ୍‍ଆଇ) ସହଯୋଗରେ ଅନୁଷ୍ଠିତ ହୋଇଛି ‘ପ୍ରଯୁକ୍ତି ବିଦ୍ୟା ଯୁଗରେ ଲୋକସମ୍ପର୍କ’ ଶୀର୍ଷକ ରାଉଣ୍ଡ ଟେବୁଲ୍‍ । ଏଥିରେ ବକ୍ତାଭାବେ ଯୋଗଦେଇ ଶ୍ରୀ ରଥ କହିଛନ୍ତି, ଦିନକୁ ଦିନ ଟେକ୍ନଲୋଜି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି । ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ (ଏଆଇ) ବୈଷୟିକ ଜ୍ଞାନ କୌଶଳକୁ ଆଉ ପାଦେ ଆଗେଇନେଇଛି । ଏଆଇ ମାଧ୍ୟମରେ ଖବର ଉପସ୍ଥାପନା ସମ୍ଭବ ହୋଇପାରୁଛି । ଏସବୁ ସତ୍ତ୍ୱେ ବି ଲୋକଙ୍କ ଭିତରେ ଥିବା ଦକ୍ଷତା ସବୁଠୁଁ ଶ୍ରେଷ୍ଠ । କାରଣ, ସୃଜନଶୀଳତାର ଶକ୍ତି ଢେର ଉପରେ । ତା’ର କୌଣସି ଅନୁକୃତି ସମ୍ଭବ ନୁହେଁ । ତେବେ ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରଗତି ହେତୁ ଲୋକସମ୍ପର୍କ ଅଧିକାରୀଙ୍କ ଆଗରେ ଅନେକ ଆହ୍ୱାନ ରହିଛି । ପ୍ରଥମତଃ ଏଆଇ କାରିଗରୀ ବିଦ୍ୟାର ଆଗମନ ଫଳରେ ଟାର୍ଗେଟ୍‍ ଅଡିଏନ୍ସ ତଥା ସେମାନଙ୍କ ରୁଚି ଜାଣିବା ସମ୍ଭବ ହୋଇପାରୁଛି । ପୂର୍ବରୁ ଏହି କାର୍ଯ୍ୟ ଲୋକସମ୍ପର୍କ ଅଧିକାରୀଙ୍କୁ କରିବାକୁ ପଡୁଥିଲା । ଆଜିକାଲି ଇଣ୍ଟରନେଟ୍‍ରେ ଅଗଣିତ ତଥ୍ୟ ଉପଲବ୍ଧ । ଏଥିମଧ୍ୟରୁ ପୁଣି ୯୦ ପ୍ରତିଶତ ତଥ୍ୟ ଗତ ଦୁଇ ବର୍ଷ ଭିତରେ ଅପ୍‍ଲୋଡ୍‍ ହୋଇଛି । ଆଗକୁ ଆହୁରି ତଥ୍ୟ ମିଳିପାରିବ । ଏମିତି ଏକ ସ୍ଥିତିରେ ଲୋକସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ବଢ଼ିଯାଇଛି । ପ୍ରେସ୍‍ ବିଜ୍ଞପ୍ତିର ଶୈଳୀ ମଧ୍ୟ ବଦଳିିଛି । ଏଣୁ ଲୋକସମ୍ପର୍କ ଅଧିକାରୀମାନେ ଭିଜୁଆଲ୍‍ କଣ୍ଟେଣ୍ଟ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏହାସହ ଲାଇଭ୍‍ ଷ୍ଟ୍ରିମିଂ, ଭର୍ଚୁଆଲ୍‍ ରିଅଲିଟି ପରି ବିଭବ ବିଷୟରେ ଅଧିକରୁ ଅଧିକ ଜାଣିବା ସହ ଏହାକୁ ଗୁରୁତ୍ୱ ଦେବା ଜରୁରୀ । ସେହିପରି ସାମାଜିକ ଗଣମାଧ୍ୟମର ବହୁଳ ଆଦୃତି ପରେ ଏହାକୁ ଏକ ଶକ୍ତ ଲୋକସମ୍ପର୍କ କୌଶଳଭାବେ ବ୍ୟବହାର କରିବା ଅପରିହାର୍ଯ୍ୟ ହୋଇପଡ଼ିଛି । ଏସବୁ ଉପରେ ଲୋକସମ୍ପର୍କ ଅଧିକାରୀମାନେ ଧ୍ୟାନ ଦେବା ଦରକାର ବୋଲି ସେ ମତବ୍ୟକ୍ତ କରିଛନ୍ତି ।
କାର୍ଯ୍ୟକ୍ରମର ଅନ୍ୟତମ ବକ୍ତାଭାବେ ଯୋଗଦେଇ ରିଲାଏନ୍ସ ଜିଓ କର୍ପୋରେଟ୍‍ କମ୍ୟୁନିକେଶନର ଉପସଭାପତି ରୋହିତ ଦୁବେ କହିଛନ୍ତି, ଲୋକସମ୍ପର୍କ ଏକ ଚତୁର କାର୍ଯ୍ୟ । ତେବେ ବର୍ତ୍ତମାନ ବିଷୟବସ୍ତୁର ଉପସ୍ଥାପନା ଶୈଳୀ ବଦଳିବାରେ ଲାଗିଛି । ଅନେକ ସଂସ୍ଥା ଷ୍ଟୋରୀ ଟେଲିଂ ବା ନିଜ ବ୍ରାଣ୍ଡ୍‍ ତଥା ବାସ୍ତବ ଜୀବନର କାହାଣୀ କହିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଅର୍ଥାତ୍‍ ଭିଜୁଆଲ୍‍ କ୍ୟାମ୍ପେନ୍‍ର ସବୁଠୁଁ ଅଧିକ ଚାହିଦା ରହିଛି । ଏହାର ସଫଳତା ଲୋକସମ୍ପର୍କ ଅଧିକାରୀଙ୍କ ଉପରେ ନିର୍ଭର କରୁଛି । ଏଣୁ ଏ କଳା ଲୋକସମ୍ପର୍କ ଅଧିକାରୀଙ୍କୁ ଜାଣିବା ଆବଶ୍ୟକ ।
ଅନ୍ୟତମ ବକ୍ତା ଆଦିତ୍ୟ ବିର୍ଲା ଗ୍ରୁପ୍‍ର କର୍ପୋରେଟ୍‍ ଆଫେୟାର୍ସ ଏଭିପି ଶଶାଙ୍କ ପଟ୍ଟନାୟକ କହିଛନ୍ତି, ଲୋକସମ୍ପର୍କ ଏକ ଚଳଚଞ୍ଚଳ କ୍ଷେତ୍ର । ଏ ବିଷୟଟି ବହୁତ ବଡ଼ ଓ ଏହାର ଅନେକ ଦିଗ ରହିଛି । ଜନତା, ସରକାର ଓ କର୍ପୋରେଟ୍‍ ମଧ୍ୟରେ ଏକ ସେତୁ ସ୍ଥାପନ କରିବା ଉପରେ ଲୋକସମ୍ପର୍କ ଏବେ ଅଧିକ ଗୁରୁତ୍ୱ ଦେଉଛି । ଲୋକସମ୍ପର୍କ ଅଧିକାରୀଙ୍କୁ ବିଭିନ୍ନ ଷ୍ଟେକ୍‍ହୋଲ୍ଡରଙ୍କ ସହ ଯୋଗଯୋଗ କରିବାକୁ ପଡୁଛି । ଏଣୁ ଲୋକସମ୍ପର୍କ ଅଧିକାରୀମାନେ ପ୍ରଥମେ ଜଣେ ଭଲ ଯୋଗାଯୋଗକାରୀ ହେବା ଉଚିତ । ଏହାସହ ସେମାନଙ୍କର ଉପସ୍ଥିତ ବୁଦ୍ଧି ସହ ଧୈର୍ଯ୍ୟଶକ୍ତି ରହିବା ଦରକାର । ସେ ଯାହାହେଉ ବର୍ତ୍ତମାନର ସମ୍ବେଦନଶୀଳ ଯୁଗରେ ନକାରାତ୍ମକ ଦିଗକୁ ଅନେକେ ପ୍ରାଧାନ୍ୟ ଦେଉଛନ୍ତି । ଏ ସ୍ଥିତିରେ ସଂସ୍ଥାର ଯଶ ରକ୍ଷା କରିବା ଲୋକସମ୍ପର୍କ ଅଧିକାରୀଙ୍କ ପାଇଁ ଏକ ବଡ଼ ଆହ୍ୱାନ ବୋଲି ସେ ପ୍ରକାଶ କରିଛନ୍ତି ।
ରାଉଣ୍ଡ ଟେବୁଲ୍‍ର ବିଷୟବସ୍ତୁ ଉପରେ ଆଲୋକପାତ କରି ସୁଲେଖକ ତଥା ହିନ୍ଦୁସ୍ଥାନ ଫର୍ଟିଲାଇଜର୍ସର ପୂର୍ବତନ କର୍ପୋରେଟ୍‍ କମ୍ୟୁନିକେଶନ ଜେନେରାଲ୍‍ ମ୍ୟାନେଜର ସୁବୀର ଘୋଷ କହିଛନ୍ତି, ଗତ ୩୦ ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ବେଶ୍‍ ଅଗ୍ରଗତି ହୋଇଛି । ଏହାସହ ତାଳ ଦେଇ ଲୋକସମ୍ପର୍କର କୌଶଳରେ ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ପୂର୍ବରୁ ଖବରଟିଏ ପାଇବା ପାଇଁ ଲୋକଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡୁଥିଲା । ହେଲେ ଇଣ୍ଟରନେଟ୍‍ର ଆଗମନ ଏହାକୁ ଖୁବ୍‍ ସହଜ କରିଦେଇଛି । ଆଙ୍ଗୁଠି ଟିପରେ ଲୋକେ ଏବେ ଖବର ପାଇପାରୁଛନ୍ତି । ଏମିତି ସ୍ଥିତିରେ ଲୋକସମ୍ପର୍କ ଅଧିକାରୀଙ୍କୁ ଦିନରାତି ସକ୍ରିୟ ରହିବାକୁ ପଡୁଛି । ସଂସ୍ଥା ବିପକ୍ଷରେ ଯଦି କେଉଁ ସାମାଜିକ ଗଣମାଧ୍ୟମ ମଞ୍ଚରେ କୌଣସି ସୂଚନା ମିଳୁଛି, ତେବେ ନିରବ ନରହି ତାର ପ୍ରତିକ୍ରିୟା ହେବା ଉଚିତ । ବିପତ୍ତି ଆସିବା ପୂର୍ବରୁ ତାକୁ ଟାଳିବାର ଦିଗରେ ଲୋକସମ୍ପର୍କ ଅଧିକାରୀ ଚେଷ୍ଟା କରିବା ଦରକାର ବୋଲି ସେ କହିଛନ୍ତି ।
ଆରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପିଆର୍‍ଏସ୍‍ଆଇର ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ସଞ୍ଜୟ ସାହୁ ଅତିଥି ପରିଚୟ ଦେଇଥିଲେ । ଏହି ଅବସରରେ ଜାନୁଆରୀ ୨୬ ତାରିଖରେ ହେବାକୁ ଥିବା ଓଡ଼ିଆ ନାଟକ ‘ବଳିଦାନ’ର ପୋଷ୍ଟର ଉନ୍ମୋଚିତ ହୋଇଛି । ଧନ୍ୟବାଦ ଦେଇଥିଲେ ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।

Leave a Reply

13 + 16 =