Skip to main content

Loading

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆରଏମଆରସିରେ ନମୁନା ପରୀକ୍ଷାରୁ ତାଙ୍କର ପଜିଟିଭ୍ ପଜିଟିଭ୍ ରିପୋର୍ଟ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ଗୁରୁବାର ଦିନ ଆରଏମଆରସିକୁ ସମୁଦାୟ ୧୪ଟି ନମୁନା ପରୀକ୍ଷା ପାଇଁ ଆସିଥିଲା । ସଂଧ୍ୟା ୭ଟା ସୁଦ୍ଧା ୧୦ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ପରେ ଅବଶିଷ୍ଟ ୪ଟି ନମୁନାରୁ ଗୋଟିଏ ପଜିଟିଭ୍ ବାହାରିଛି । କୋଭିଡ୍-୧୯ ଭାଇରସ୍ ଚିହ୍ନଟ ବ୍ୟକ୍ତିଜଣଙ୍କ ନିକଟରେ ବିଦେଶରୁ ଫେରିଥିବା ଜଣାପଡ଼ିଛି । ତେବେ ତାଙ୍କ ସମ୍ବନ୍ଧରେ ବିଶେଷ ତଥ୍ୟ ଜଣାପଡ଼ିନାହିଁ । ଅନ୍ୟପକ୍ଷରେ ସେ ଆସିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଓଡ଼ିଶାର ପ୍ରଥମ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଭୁବନେଶ୍ୱରର ୩୩ ବର୍ଷୀୟ ଏହି ଯୁବକ ଇଟାଲିରେ ରହି ପାଠ ପଢ଼ୁଥିଲେ । ମାର୍ଚ୍ଚ ୬ ତାରିଖରେ ସେ ଇଟାଲିରୁ ଦିଲ୍ଲୀ ଫେରିବା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱରରେ ପହଞ୍ଚିଥିଲେ । ତେବେ ଏଠି ତାଙ୍କୁ କାଶ, ଛିଙ୍କ ଏବଂ ଜ୍ୱର ହେବାରୁ ଶେଷରେ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ଆସିଥିଲେ । ତାଙ୍କର ରକ୍ତ ଓ ସ୍ୱାବ୍ ପରୀକ୍ଷା ପରେ କରୋନା ପଜିଟିଭ୍ ବାହାରିଥିଲା । ବର୍ତ୍ତମାନ ସେ କ୍ୟାପିଟାଲ୍ ହସ୍ପିଟାଲ୍ ର ଆଇସୋଲେସନ୍ ୱାର୍ଡରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଭଲ ଥିବା ସରକାରୀ ଭାବେ ସୂଚନା ଦିଆଯାଇଛି ।

Leave a Reply

5 − four =