Skip to main content
Trending NewsOdisha

କଳିଙ୍ଗ ସାହିତ୍ୟ ମହୋତ୍ସବର ଭାବ ସମ୍ବାଦ ଶୃଙ୍ଖଳାରେ ‘କ୍ଷୁଦ୍ରଗଳ୍ପର ସଫଳତା: କାହାଣୀ ବନାମ କଥନଶୈଳୀ’

By July 6, 2020No Comments

Loading

କଳିଙ୍ଗ ସାହିତ୍ୟ ମହୋତ୍ସବର ‘ଭାବ ସମ୍ବାଦ’ ଶୃଙ୍ଖଳାରେ ‘କ୍ଷୁଦ୍ରଗଳ୍ପର ସଫଳତା: କାହାଣୀ ବନାମ କଥନଶୈଳୀ

ଭୁବନେଶ୍ଵର : କଳିଙ୍ଗ ସାହିତ୍ୟ ମହୋତ୍ସବ ‘ଭାବ ସମ୍ବାଦ’ ଶୃଙ୍ଖଳା ମାଧ୍ୟମରେ ସାହିତ୍ୟର ପ୍ରଚାର ଓ ପ୍ରସାର ଜାରି ରଖିଛି। ଗତକାଲି ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଅନୁଷ୍ଠିତ ଏହି ଶୃଙ୍ଖଳାର ତ୍ରୟୋଦଶତମ କାର୍ଯ୍ୟକ୍ରମରେ ଓଡିଆ ସାହିତ୍ୟର  ତରୁଣ କଥାକାରମାନେ  ‘କ୍ଷୁଦ୍ରଗଳ୍ପର ସଫଳତା: କାହାଣୀ ବନାମ କଥନଶୈଳୀ’ ବିଷୟରେ ଭାବଗର୍ଭକ ଆଲୋଚନା କରିଥିଲେ। ଦର୍ଶକମାନେ ଫେସବୁକ, ଟୁଇଟର ଓ ୟୁଟ୍ୟୁବ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବର ପ୍ରତିଷ୍ଠାତା ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡା ସ୍ଵାଗତ ଭାଷଣ ପ୍ରଦାନକରି ‘ଭାବ ସମ୍ବାଦ’ ଶୃଙ୍ଖଳାର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ତରୁଣ ପିଢିର କଥାକାର ଆଦିତ୍ୟେଶ୍ଵର ମିଶ୍ର, ମୋନାଲିସା ମିଶ୍ର, ଅମରେଶ ବିଶ୍ଵାଳ, ମଦନ ମହାପାତ୍ର ଓ ବିଚିତ୍ର ବିଶ୍ଵାଳଙ୍କ ଠାରୁ ସାରଗର୍ଭକ  ଆଲୋଚନା ଓ ମାର୍ମିକ ଗଳ୍ପ ଶୁଣିବାକୁ ମିଳିବ ବୋଲି ସେ ଆଶା ପୋଷଣ କରିଥିଲେ। କାର୍ଯ୍ୟକ୍ରମଟିର ସଂଚାଳକ ରୂପେ ଯୋଗଦେଇଥିଲେ କଳିଙ୍ଗ ସାହିତ୍ୟ ମହୋତ୍ସବର ଅନ୍ୟତମ ନିର୍ଦ୍ଦେଶକ ତଥା ତରୁଣ କଥାକାର ଦେବାଶିଷ ସାମନ୍ତରାୟ।

ଆଲୋଚନା ଆରମ୍ଭ କରି ଦେବାଶିଷ ସାମନ୍ତରାୟ କହିଥିଲେ ଯେ, ଆମ ସାହିତ୍ୟରେ ଏବେ ଗଳ୍ପ ସାହିତ୍ୟ ସବୁଠାରୁ ଜନପ୍ରିୟ ବିଭାଗ। ଗଳ୍ପ ହିଁ ମାନବ ସଭ୍ୟତାର ବିକାଶ ସହ ସମ୍ପର୍କିତ ଏକ ମାଧ୍ୟମ। ଲୋକଗଳ୍ପ, ରୂପକ ଗଳ୍ପ, ଓଷାବ୍ରତ କଥା ମଧ୍ୟରେ କାହାଣୀ ଆମ ନିକଟରେ ବହୁ ପୂର୍ବରୁ ଆସ୍ଥାନ ଜମେଇ ବସିଛି। ବୁଢ଼ୀ ଅସୁରୁଣୀ ହେଉ କି ଶୁଆଶାରୀ କାହାଣୀ, ଗପ ସର୍ବଦା ଆମ ଭାବନା ରାଜ୍ୟକୁ ଆନ୍ଦୋଳିତ କରିଛି। ଆମେ ଗପ ଶୁଣିବାକୁ ଏବଂ ପଢିବାକୁ ଉତ୍ସୁକତା ପ୍ରଦର୍ଶନ କରିଆସିଛନ୍ତି। ଧୀରେ ଧୀରେ ଗପ ତାର କାୟାକଳ୍ପରେ ପରିବର୍ତ୍ତନ ଆଣିଛି, ଆମେ ସେ ପରିବର୍ତ୍ତନ ସହ ତାଳଦେଇ ଆଗେଇ ଚାଲିଛୁ ମଧ୍ୟ। ଆଧୁନିକ କ୍ଷୁଦ୍ରଗଳ୍ପ ବର୍ତ୍ତମାନ ଆମ ସମୟରେ ସବୁଠାରୁ ଅଧିକ ପଠିତ ବିଭାଗ। ଏହାର ସଫଳତା କଥା ଆଲୋଚନା କଲେ ଆମ ଆଗରେ ଗପର ଦୁଇଟି ଦିଗ ଦେଖାଦିଅନ୍ତି: ଗଳ୍ପରେ କାହାଣୀ ଓ ଗଳ୍ପର କଥନଶୈଳୀ। ଗଳ୍ପରେ କାହାଣୀ ମୁଖ୍ୟ ନା କଥନଶୈଳୀ ମୁଖ୍ୟ ସେ ନେଇ ତରୁଣ ଗାଳ୍ପିକ ମାନେ ଆଲୋଚନା କରିଥିଲେ। ଆଦିତ୍ୟେଶ୍ଵର ମିଶ୍ର କହିଥିଲେ ଯେ, କାହାଣୀ ବିନା ଏକ ସଫଳ ଗଳ୍ପ ଉତୁରିବା ସମ୍ଭବ ନୁହେଁ।  ଏକ ଘଟଣାକୁ କାହାଣୀର ରୂପ ଦେଇହେବ କିନ୍ତୁ, ସମସ୍ତ ଘଟଣା କାହାଣୀ ପଦବାଚ୍ୟ ନୁହନ୍ତି।

ଗଳ୍ପର ସଫଳତା ନିମନ୍ତେ ଗାଳ୍ପିକର ଭାଷା ଉପରେ ଦଖଲ ରହିବା ଏକାନ୍ତ ଜରୁରୀ। ମୋନାଲିସା ମିଶ୍ର ଗଳ୍ପର କଥନଶୈଳୀ ଉପରେ ଗୁରୁତ୍ଵ ଦେଇ କହିଥିଲେ, ଏବର ଯୁବ ପିଢି ଶୈଳୀ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଗପଟି କେମିତି ଲେଖାଯାଇଛି ତାହା ପାଠକକୁ ଏବେ ଆକୃଷ୍ଟ କରିବାରେ ସାହାଯ୍ୟ କରୁଛି। ଅମରେଶ ବିଶ୍ଵାଳ ପାଠକଙ୍କୁ ଆଖି ଆଗରେ ରଖି ଗପର ଅବୟବ ଚିନ୍ତା କରାଯିବା ଜରୁରୀ ବୋଲି ମତ ରଖିଥିଲେ। ପାଠକ ପାଇଁ କାହାଣୀଟିଏ ତ ଆବଶ୍ୟକ କିନ୍ତୁ ତାକୁ କିଏ ଓ କେମିତି କହୁଛି, ତା’ଉପରେ ଗଳ୍ପର ସଫଳତା ନିର୍ଭର କରେ। ମଦନ ମହାପାତ୍ରଙ୍କ ମତରେ କୁକୁଡା ଆଗ ନା ଅଣ୍ଡା ଆଗ ପରି କାହାଣୀ ଆଗ ନା କଥନଶୈଳୀ ଆଗ ଏକ ସମାଧାନ ରହିତ ପହେଳି। ସଫଳ ଗଳ୍ପଟିଏ ପାଇଁ କିନ୍ତୁ ଗାଳ୍ପିକକୁ ଏକ ଅବଧାରଣାର ସମୟ ଦେଇ ଗତି କରିବାକୁ ପଡେ, ସେହି ଅବଧାରଣା ହିଁ କାହାଣୀର ମୂଳପିଣ୍ଡ। ତାପରେ କାହାଣୀ ଓ କଥନଶୈଳୀର ଏକ ଉଚିତ ସମ୍ମିଶ୍ରଣରେ ସଫଳ ଗପଟିଏ ଉତୁରିଥାଏ। ବିଚିତ୍ର ବିଶ୍ଵାଳଙ୍କ ମତ ଥିଲା, କଥନଶୈଳୀ ମାଧ୍ୟମରେ କାହାଣୀଟିଏ ତିଆରି କରିବାକୁ ପଡେ। କାହାଣୀରୁ ଶୈଳୀ ମଧ୍ୟ କେବେ କେବେ କେନା ମେଲାଇଥାଏ। କିନ୍ତୁ ଉପଯୁକ୍ତ ପରିବେଷଣ ହିଁ ଗଳ୍ପକୁ ସଫଳ କରାଏ। ପାଞ୍ଚଜଣ ଯାକ ଗାଳ୍ପିକ ସ୍ଵରଚିତ ଚମତ୍କାର ଗଳ୍ପମାନ ପାଠକରି ଦର୍ଶକ(ଭିୱର)ଙ୍କୁ ଆନନ୍ଦ ଦେଇଥିଲେ। ଦେବାଶିଷ ସାମନ୍ତରାୟ କାର୍ଯ୍ୟକ୍ରମଟିର ସୁନ୍ଦର ସଂଚାଳନ କରିଥିଲେ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ଅନ୍ୟତମ ନିର୍ଦ୍ଦେଶକ ସୀତାଂଶୁ ବୈଷୟିକ ପରିଚାଳନା କରିଥିଲେ।

Leave a Reply

nineteen + sixteen =